12-Nov-2026
ରାୟଗଡ଼(ପିଆର), ତା ୧୨.୧୧.୨୦୨୬: ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ଏବଂ ରାୟଗଡ଼ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (Unified Pension Management Portal - UPMP) ର ଶୁଭାରମ୍ଭ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାଜ୍ୟସ୍ତରରେ ଏହି ଜନକଲ୍ୟାଣକାରୀ ଡିଜିଟାଲ୍ ପୋର୍ଟାଲର ଉଦ୍ଘାଟନ ଅବସରରେ, ରାୟଗଡ଼ ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ରାୟଗଡ଼ ଶ୍ରୀ କାଡ୍ରାକା ଆପ୍ପାଲା ସ୍ୱାମୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ରାୟଗଡ଼ର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର ଓ ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିଆକା, ଜିଲ୍ଲା ପରିଷଦ ରାୟଗଡ଼ର ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, ପଞ୍ଚାୟତ ସମିତି ରାୟଗଡ଼ର ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା ଏବଂ ପୌର ପରିଷଦ ରାୟଗଡ଼ର ଅଧ୍ୟକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକ ଓ ଉପାଧ୍ୟକ୍ଷା ଶ୍ରୀମତୀ ଶର୍ମିତା ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହିତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO) ରାୟଗଡ଼ ଶ୍ରୀମତୀ ଏଲିଜାବେଥ୍ ଗୋରଡ଼ା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ (SSSO) ରାୟଗଡ଼ ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ଏବଂ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ (SSSO) ଗୁଣୁପୁର ଶ୍ରୀମତୀ ରଞ୍ଜିତା ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଙ୍କ ଦ୍ୱାରା ଭତ୍ତା ପାଇଁ ଅପେକ୍ଷାର ଯୁଗ ସରିଲା ବାର୍ତ୍ତାର ପ୍ରସାରଣ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା।
ସମବେତ ହିତାଧିକାରୀ ଓ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ଅତିଥିମାନେ କହିଥିଲେ ଯେ, ଏହି ନୂତନ ପୋର୍ଟାଲ (upmp.odisha.gov.in) ମାଧ୍ୟମରେ ମଧୁବାବୁ ପେନସନ୍ ଯୋଜନା (MBPY) ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ଥିବା ସମସ୍ତ ଭତ୍ତା ସେବା ଗୋଟିଏ ଡିଜିଟାଲ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏହାଦ୍ୱାରା ଯୋଗ୍ୟ ବୃଦ୍ଧବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମ ହିତାଧିକାରୀମାନେ ବିନା କୌଣସି ବିଳମ୍ବରେ ଅନଲାଇନ୍ ଆବେଦନ, ଆଧାର ଭିତ୍ତିକ e-KYC ଯାଞ୍ଚ ଏବଂ ପେନସନ୍ ସ୍ଥିତି ଜାଣିପାରିବେ। ଏଣିକି ଭତ୍ତା ପାଇବା ପାଇଁ ହିତାଧିକାରୀଙ୍କୁ ଆଉ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
ଏହି ଅବସରରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ନୂତନ ଭାବେ ଅନ୍ତର୍ଭୁକ୍ତ ହୋଇଥିବା ୭୮୦୭ ଜଣ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୬୫୦ ଜଣଙ୍କୁ ଭତ୍ତା ମଞ୍ଜୁରୀ ଆଦେଶପତ୍ର (Sanction Order) ବଣ୍ଟନ କରାଯାଇଥିଲା। ବିଭାଗୀୟ ଅଧିକାରୀମାନେ ପୋର୍ଟାଲର ବ୍ୟବହାର ସମ୍ପର୍କରେ ସୂଚନା ଦେବା ସହ ବ୍ଲକ୍ କାର୍ଯ୍ୟାଳୟ ଓ ଜନସେବା କେନ୍ଦ୍ର (CSC) ମାଧ୍ୟମରେ ହିତାଧିକାରୀଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ। ଶ୍ରୀ ନୀଳାଞ୍ଚଳ ମିଶ୍ର, ବରିଷ୍ଠ ଶିକ୍ଷକ ମଞ୍ଚକୁ ସୁଚାରୁରୂପେ ପରିଚାଳନା କରିଥିଲେ ଏବଂ ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।
ପରିଶେଷରେ ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହ ସଭା କାର୍ଯ୍ୟ ସମାପ୍ତ ହୋଇଥିଲା।